ମୋ ଗାଁ

ଶ୍ରୀ ଦିଗବାହକ ସୁବାସ କୁମାର ସ୍ଵାଇଁ

ଗାଁଟି ମୋର ସରଗଠୁ ବଡ଼
ଜନମିଛି ମୁଁ ତା କୋଳେ,
ଧୂଳି ଖେଳଠାରୁ ଭୋଜିଭାତ ଯେତେ
କରିଛି ସାଥିଙ୍କ ମେଳେ।

ଅନନ୍ତ ସାଗର କେତେ ମନୋହର
କେତେ ଶାନ୍ତି ତା ତିରେ,
ମନ୍ଦିର ପ୍ରାଙ୍ଗଣେ ଜାଗର ଯାତରା
ମନେପଡେ ଥିଲେ ଦୁରେ।

ନନ୍ଦଉତ୍ସବରେ କେତେ କୋଳାହଳ
ସତେକି ନନ୍ଦ ନଗରୀ,
ନନ୍ଦ,ଯଶୋଦା ଓ କୃଷ୍ଣ , ବଳରାମ
ତାଙ୍କ ପାଇଁ ଭେରି ତୂରୀ।

ମା ଜାଗୁଳାଇ ଅଗଣାରେ ହୁଏ
ପାର୍ବଣ ର କେତେ ପାଳି,
ଖଇ, ଗଜାମୁଗ ଖାଇବା ପାଇଁକି
ଗାଁ ଲୋକଙ୍କର ମେଳି।

ଦଶହରା ଠାରୁ ରାମଚରିତ ରେ
ସମସ୍ତଙ୍କ କେତେ ମନ,
ହସ ଖୁସିରେ ତ ରଜ ତିନିଦିନ
ବିତିଯାଏ ଖାଇ ପାନ।

ଥାଅ ଯେତେ ଦୁରେ ଦେଶ ବିଦେଶରେ
ଗାଁକୁ ଯିବାନି ଭୁଲି,
ମନେ ରଖିଥିବା ତାରି ଛବିକୁ
କିଏ ହେବ ଗାଁ ସରି।

Shopping Cart

You cannot copy content of this page